ବାଇଲେଟେରାଲ ଟ୍ରାନ୍ସପ୍ଲାଣ୍ଟ ସଫଳ, ଦିଲ୍ଲୀର ଚିତ୍ରଶିଳ୍ପୀଙ୍କୁ ମିଳିଲା ନୂଆ ହାତ

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସରେ ଆଶ୍ଚର୍ଯ୍ୟ। କମାଲ କରି ଦେଖାଇଲେ ଡାକ୍ତର। ଦିଲ୍ଲୀର ଜଣେ ବ୍ଯକ୍ତିଙ୍କୁ ମିଳିଲା ନୂଆ ହାତ। ୪୫ ବର୍ଷୀୟ ଜଣେ ଯୁବକଙ୍କ ସଫଳତାର ସହ ହାତ ପ୍ରତିରୋପଣ କରାଯାଇଛି। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି। ୨୦୨୦ରେ ବ୍ଯକ୍ତି ଜଣକ ଏକ ଟ୍ରେନ ଦୁର୍ଘଟଣାରେ ଦୁଇଟି ହାତ ହରାଇଥିଲେ। ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ବ୍ଯକ୍ତି ଜଣକ ହେଉଛନ୍ତି ଜଣେ ଶିଳ୍ପୀ। ଏହି ଅସ୍ତ୍ରୋପଚାର ପରେ ପୁଣିଥରେ ହାତରେ ବ୍ରସ ଧରିପାରିବେ ସମ୍ପୃକ୍ତ ଶିଳ୍ପୀ। ଶିଳ୍ପୀଙ୍କ ବାଇଲେଟେରାଲ ହ୍ଯାଣ୍ଡ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇଛି। ଆସନ୍ତାକାଲି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଉଛି।

ମୀନା ମେହତା ନାମକ ଜଣେ ମହିଳା ବ୍ରେନ ଡେଡ୍ ଘୋଷଣା ହେବା ପରେ ତାଙ୍କର ଦୁଇ ହାତ ସମ୍ପୃକ୍ତ ବ୍ଯକ୍ତିଙ୍କ କଟିଯାଇଥିବା ହାତରେ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି। ମୀନା ମେହତା ନାମକ ମହିଳାଙ୍କ ମୃତ୍ଯୁ ପରେ ଅଙ୍ଗ ଦାନ କରିବାକୁ ସେ ପୂର୍ବରୁ ଘୋଷଣା କରିଥିଲେ। ଏଥିଲାଗି ତାଙ୍କର କିଡନୀ, ଲିଭର ଏବଂ କୋର୍ଣ୍ଣିଆ ଅନ୍ଯ ୩ ଜଣଙ୍କୁ ନୂଆ ଜୀବନ ଦେଇଛି।

ସେହିପରି ତାଙ୍କର ଦୁଇ ହାତ ଚିତ୍ରଶିଳ୍ପୀଙ୍କୁ ସ୍ଵପ୍ନକୁ ପୁଣିଥରେ ଉଜାଗର କରିଛି। ଦୁଇ ହାତ ହରାଇବା ପରେ ଅସହାୟ ହୋଇପଡିଥିଲେ ସମ୍ପୃକ୍ତ ବ୍ଯକ୍ତି। ଏହି ଅସ୍ତ୍ରୋପଚାରରେ କରିବାକୁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଯେଉଁଥିରେ ମାଂସପେଶୀ ଏବଂ ଶୀରା ଗୁଡିକୁ ଅଙ୍ଗ ପ୍ରଦାନ କରିଥିବା ମହିଳାଙ୍କ ହାତ ସହ ପୀଡ଼ିତଙ୍କ କଟିଯାଇଥିବା ହାତ ସହ ସଫଳତାର ସହ ଯୋଡ଼ା ଯାଇଛି। ଡାକ୍ତରଙ୍କ ପରିଶ୍ରମ ଶେଷରେ ସଫଳ ହୋଇଛି।