ବଦଳିଲା ପାଗ, ରାଜ୍ୟରେ ଖରା ଓ ଛାଇର ଲୁଚକାଳି ଖେଳ

ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗ । ଚାଲିଛି ଖରା ଓ ଛାଇର ଲୁଚକାଳି ଖେଳ । ଦୁଇଦିନର ପ୍ରବଳ ତାତି ପରେ ରାଜ୍ଯରେ ପାଗରେ ହୋଇଛି ପରିବର୍ତ୍ତନ । ଉପକୂଳ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାୟୁ ଚଳାଚଳରେ ଅସଙ୍ଗତି ସହ ପଶ୍ଚିମା ଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ବାକି ଓଡ଼ିଶାର ଜିଲ୍ଲାଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୧ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୧୬ଟି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରଯାଇଛି । ୧୨ ତାରିଖରେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ୧୧ ଜିଲ୍ଲାରେ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ।

୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ଉପର ମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ହାଲୁକା ବର୍ଷା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ଅନୁଭୁତ ହେବ । ରାତିରେ ସାମୁଦ୍ରିକ ପବନ ପ୍ରବାହ ବଢୁଥିବାରୁ କୁହୁଡି ଅନୁଭୁତ ହେବ । ଗତ ୨୪ ଘଣ୍ଟାରେ କଟକ ଓ ନୟାଗଡରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ପାରଳାଖେମୁଣ୍ଡି ୩୫.୨ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ଭାବରେ ରେକର୍ଡ କରିଛି ।