ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗାଁ ମୁଣ୍ଡରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗାଁ ମୁଣ୍ତରେ ଥିବା ଏକ ଆକାଶିଆ ଗଛ ଡାଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ମୃତକ ଜଣଙ୍କ ନିହ୍ନୁଆଁ ଗ୍ରାମର ନାଗାର୍ଜୁନ ନାଏକ। ନିକଟରେ ଇଟା ଖଣ୍ଡ ପଡିଥିବା ଦେଖିବାକୁ ମିଳିଥିବା ବେଳେ ହାତରେ ଏକ ମୋବାଇଲ ଅଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରୁ ସେ ସ୍ତ୍ରୀ’ଙ୍କ ସହ ଝଗଡା କରି ନିଖୋଜ ଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି।